Hindusthan Samachar
Banner 2 बुधवार, मार्च 20, 2019 | समय 06:26 Hrs(IST) Sonali Sonali Sonali Singh Bisht

ଭଦ୍ରକ ବିଧାନସଭା : ୩ ପ୍ରମୁଖ ଦଳରେ ନୂଆ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା : ବେଶୀ ଆଶାୟୀ ଶାସକ ବିଜେଡିରେ

By HindusthanSamachar | Publish Date: Mar 16 2019 9:12PM
ଭଦ୍ରକ ବିଧାନସଭା : ୩ ପ୍ରମୁଖ ଦଳରେ ନୂଆ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା  : ବେଶୀ ଆଶାୟୀ ଶାସକ ବିଜେଡିରେ
ଭଦ୍ରକ, ୧୬ ମାର୍ଚ୍ଚ (ହି.ସ.)- ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ସଦର ଭଦ୍ରକ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଭଦ୍ରକ ବ୍ଳକର ୩୬ ଗ୍ରାମ ପଂଚାୟତ ଓ ପୌରପାଳିକାର ୩୦ଟି ୱାର୍ଡ଼କୁ ନେଇ ଗଠିତ । ଏହି ନିର୍ବାଚନ ମଣ୍ଡଳୀରେ ଚଳିତ ବର୍ଷ ଜାନୁଆରୀ ୨୧ତାରିଖ ସୁଦ୍ଧା ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୪୭ ହଜାର ୪୮୮ । ଏହି ନିର୍ବାଚନମଣ୍ଡଳୀ ବିଜେଡି କବ୍ଜାରେ ରହିଛି । ୨୦୦୯ ଓ ୧୪ ସାଧାରଣ ନିର୍ବାଚନରେ କ୍ରମାଗତ ୨ଥର ବିଜୟ ହାସଲ କରିଥିବା ବିଜୁ ଜନତା ଦଳର ଯୁଗଳ କିଶୋର ପଟ୍ଟନାୟକ ବର୍ତ୍ତମାନ ବିଧାୟକ ଅଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ନରେନ ପଲେଇଙ୍କୁ ୨୩ହଜାର ୬୧୧ରୁ ଉଦ୍ଧ୍ୱର୍ ଭୋଟରେ ପରାସ୍ତ କରି ଶ୍ରୀ ପଟ୍ଟନାୟକ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ବୟସାଧିକ୍ୟ କାରଣରୁ ଶ୍ରୀ ପଟ୍ଟନାୟକ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ସେ ପ୍ରାର୍ଥୀ ହେବେ ନାହିଁ ବୋଲି ବହୁ ପୂର୍ବରୁ ଘୋଷଣା କରି ସାରିଛନ୍ତି । ତେଣୁ ଶାସକ ଦଳରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଅଙ୍କକଷା ଚାଲିଛି । ଦିନକୁ ଦିନ ଏହି ଦଳର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଜେଡି ପକ୍ଷରୁ ସର୍ବାଧିକ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ବର୍ତମାନର ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ତଥା ଜିଲ୍ଳା ବିଜେଡି ଉପସଭାପତି ଅସିତ ପଟ୍ଟନାୟକ ଓରଫ ବୁଲୁ, ଅନ୍ୟତମ ଆଶାୟୀ ପୂର୍ବତନ ବିଧାୟକ ହୃଦାନନ୍ଦ ମଲ୍ଲିକଙ୍କ ପୁତ୍ର ତଥା ପୂର୍ବତନ ବିଧାୟକ ମାନସ ମଲ୍ଲିକଙ୍କ ସାନଭାଇ ଯୁବନେତା ତଥା ସମାଜସେବୀ ସଞ୍ଜିବ ମଲ୍ଳିକ ଓରଫ ବଣୁ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ସ୍ମୃତି କମିଟିର ଅଧ୍ୟକ୍ଷା ତଥା ଆଇନଜୀବୀ ଅମିତାବାଳା ଆଚାର୍ଯ୍ୟ, ପୂର୍ବତନ ବିଧାୟକ ରତ୍ନାକର ମହାନ୍ତିଙ୍କ ପୁତ୍ର ଅଶୋକ ମହାନ୍ତି, ଆଇନଜୀବୀ ହିମାଂଶୁ ମହାନ୍ତି ପ୍ରମୁଖ । ଦଳ ଟିକେଟ ଦେଲେ ଏବଂ ବିଜୟ ହେଲେ ଭଦ୍ରକରେ ମେଡିକାଲ କଲେଜ, ଡ୍ରେନେଜ ସମସ୍ୟାର ସମାଧାନ ସହିତ ଗ୍ରାମାଞ୍ଚଳର ଉନ୍ନତି ପାଇଁ କାର୍ଯ୍ୟ କରିବା ସହ ନବୀନ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ଲୋକାଭିମୁଖୀ କରିବେ ବୋଲି ବୁଲୁ କହିଥିବା ବେଳେ ଭଦ୍ରକ ସହରର ରାସ୍ତାଘାଟର ଉନ୍ନତି, ଲୋକଙ୍କର ମୌଳିକ ସମସ୍ୟା ଦୂର କରିବା ସହିତ ସରକାରଙ୍କ ଯୋଜନା ସଫଳ ରୂପାୟନକୁ ପ୍ରମୁଖତା ଦେବେ ବୋଲି ବଣୁ କହନ୍ତି । ଅନୁରୂପ ଭଦ୍ରକର ପ୍ରାକ୍ତନ ବିଧାୟକ ରତ୍ନାକର ମହାନ୍ତିଙ୍କ ପୁତ୍ର ଅଶୋକ କୁମାର ମହାନ୍ତି ମଧ୍ୟ ଇତିମଧ୍ୟରେ ଟିକେଟ ଦୌଡ଼କୁ ଆସି ସାରିଛନ୍ତି । କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ । ଗତ ଦୁଇ ଦୁଇଟି ବିଧାନସଭା ନିର୍ବାଚନରେ ନରେନ ପଲାଇ ପ୍ରତିଦ୍ୱନ୍ଦିତା କରି ପରାଜୟବରଣ କରିଥିବା ସତ୍ୱେ ସେ ମଧ୍ୟ ଆଗାମୀ ୨୦୧୯ ପାଇଁ ଆଶାୟୀ ଅଛନ୍ତି । କିନ୍ତୁ ରାଜ୍ୟ କଂଗ୍ରେସର ସାଂଗଠନିକ ପୁର୍ନବିନ୍ୟାସ ପରେ ଏବେ ଏହି କ୍ଷେତ୍ର ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଦଳ ପକ୍ଷରୁ ନୂତନ ପ୍ରାର୍ଥୀ ଦିଆଯିବ କି ନରେନଙ୍କ ଉପରେ ପୁଣି ଦଳ ଆସ୍ଥାପ୍ରକଟ କରିବ ତାହା ଏବେ ଠାରୁ ଆକଳନ କରିବା କଷ୍ଟ । ବର୍ତମାନ ପରିସ୍ଥିତିରେ ଜିଲ୍ଲାର ନୂତନ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ପିସିସି ସମ୍ପାଦକ ଦେବରୂପ ମହାନ୍ତି, ପିସିସି ସମ୍ପାଦକ ଶୁଭେନ୍ଦୁ ରାୟମହାପାତ୍ର ମଧ୍ୟ ଭଦ୍ରକରୁ ପ୍ରାର୍ଥୀ ହେବାକୁ ଆଶାୟୀ ହୋଇପଡ଼ିଛନ୍ତି । ନଳିନୀ ନିଜର ସଂଗଠନକୁ ଶକ୍ତିଶଳୀ କରି ଚାଲିଥିବା ବେଳେ ଟିକେଟ ହାତେଇବା ପାଇଁ ଦେବରୂପ ଓ ଶୁଭେନ୍ଦୁ ମଧ୍ୟ ଅଂଟା ଭିଡିଛନ୍ତି । ବିଜେଡି ଶାସନ ସମୟରେ ଭଦ୍ରକ ବହୁ ପଛକୁ ପଛେଇ ଯାଇଛି । ଏହାକୁ ଉନ୍ନତିର ଏକ ମାପଦଣ୍ଡକୁ ଆଣିବାକୁ ବିଧାୟକ ହେଲେ ନିଜର ଉଦ୍ୟମ ଜାରି ରଖିବେ ବୋଲି ନଳିନୀ କହନ୍ତି । କଂଗ୍ରେସ ଓ ବିଜେଡ଼ି ପରି ବିଜେପିରେ ମଧ୍ୟ ନୂତନ ମୁହଁକୁ ନେଇ ବହୁ ଚର୍ଚ୍ଚା ଜାରି ରହିଛି । ଭଦ୍ରକ ବିଧାନସଭା ସ୍ତରୀୟ ନେତା ଡ଼ାକ୍ତର ପ୍ରଦୀପ ନାୟକ ବିଜେପିରୁ ବିଧାୟକ ପ୍ରାର୍ଥୀ ହେବା ଦୌଡରେ ଥିବା ବେଳେ ୨୦୦୯ରେ ଦଳ ପକ୍ଷରୁ ନିର୍ବାଚନ ଲଢ଼ିଥିବା ତୁଷାର ଜେନା ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି । ଏ ଦୁହିଁଙ୍କୁ ବାଦ ଦେଲେ ଚର୍ଚ୍ଚାରେ ରହିଛନ୍ତି ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ମନସ୍ମିତା ଖୁଂଟିଆ । ବିଧାୟିକା ଭାବେ ନିର୍ବାଚିତ ହେଲେ କେନ୍ଦ୍ରର ମୋଦି ସରକାରଙ୍କ ଯୋଜନାକୁ ଯେପରି ଭାବେ ବିଜେଡି ସରକାର ମୋଡି ମକଚି ଦେଉଛି, ସେଥିରୁ ଜନସାଧାରଣ ପାଇ ପାରୁ ନ ଥିବା ସୁଫଳକୁ ଲୋକଙ୍କ ପାଖରେ ପହଂଚାଇବେ । ଭଦ୍ରକର ଉନ୍ନତି ପାଇଁ ପୂର୍ଣ୍ଣ ପ୍ରାଣରେ ନିଜକୁ ନିୟୋଜିତ କରିବା ସହ ଏକ ସମ୍ପୂର୍ଣ୍ଣ ନୂଆ ଭଦ୍ରକ ତିଆରି କରିବେ ବୋଲି ଖୁଂଟିଆ କହିଛନ୍ତି । ତେବେ ଏ ସବୁ ପରେ ସବୁ ଦଳରେ ଯେ ଦ୍ୱନ୍ଦ ଲାଗି ରହିଛି ଏହା ହାଟରେ ପଡି ଦାଣ୍ଡରେ ଗଡୁଛି । ବିଜେଡି ଯୁଗଳ ପ୍ରଫୁଲ୍ଲ ବାଦ ବିବାଦ କଥା ସମସ୍ତେ ଜାଣିଛନ୍ତି । ଯୁଗଳ ପୁଅ ପାଇଁ ବ୍ୟସ୍ତ ଥିବା ବେଳେ ପ୍ରଫୁଲ୍ଲ ଗୋଷ୍ଠୀ ଏବଂ ଯୁଗଳ ବିରୋଧୀ ଗୋଷ୍ଠୀ ମିଳିତ ଭାବେ ସଞ୍ଜିବଙ୍କୁ ପ୍ରମୋଟ କରୁଛନ୍ତି । ଯଦି ବୁଲୁ ଟିକେଟ ପାଆନ୍ତି ନିଜ ଦଳର ବିରୋଧୀ ଭୋଟ ନିର୍ଣ୍ଣାୟକ ହୋଇ ପାରେ । ସେହିପରି କଂଗ୍ରେସ ଦଳରେ ଏବେ ଅନନ୍ତ ସେଠୀଙ୍କ ଗୋଷ୍ଠୀ ଅଧିକ ସକ୍ରିୟ ଅଛନ୍ତି । ଅନନ୍ତଙ୍କ ସହିତ ନରେନର ପ୍ୟାଚଅପ୍ ହୋଇଥିଲେ ବି ଅନନ୍ତଙ୍କ ପ୍ରମୁଖ ଚେଲା ଭାବେ ଶୁଭେନ୍ଦୁ ଟିକେଟ ଆଶାୟୀ ଅଛନ୍ତି । ତେବେ ନଳିନୀ ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖ ଲୋକ ହୋଇôଥବାରୁ ସେ ଅଧିକ ଆଶାବାଦୀ ଅଛନ୍ତି । ବିଜେପି ଦଳରେ ମଧ୍ୟ ଅନ୍ତଦ୍ୱର୍ନ୍ଦ କମ୍ ନୁହେଁ । ଡାକ୍ତର ପ୍ରଦିପ ନାୟକ ଯଦି ଟିକେଟ ପାଆନ୍ତି ମନସ୍ମିତା ନିରବ ରହିଲେ ବି ତୁଷାର କିନ୍ତୁ ନିଶ୍ଚିତ କ୍ଷତି ଘଟାଇବେ ଆଶଙ୍କା କରାଯାଉଛି । ତୁଷାର ଟିକେଟ ପାଇଲେ ପ୍ରଦିପ ମଧ୍ୟ ତୁଷାରଙ୍କୁ ବିରୋଧ କରିବାକୁ ପଛେଇବେ ନାହିଁ ବୋଲି ଅନୁମାନ କରାଯାଏ । ଏଭଳି ସ୍ଥିତିକୁ ନେଇ ମନସ୍ମିତା ଅଧିକ ଆଶାବାଦୀ ହୋଇ ପଡିଥିବା ଆଲୋଚନା ହେଉଛି । ତେବେ ୩ ପ୍ରମୁଖ ଦଳ କାହାକୁ ଟିକେଟ ଦେବ ସେ ନେଇ କିନ୍ତ ଚର୍ଚ୍ଚା ସବୁଠି ଜାରି ରହିଛି । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
लोकप्रिय खबरें
फोटो और वीडियो गैलरी
image