Hindusthan Samachar
Banner 2 शनिवार, मार्च 23, 2019 | समय 14:37 Hrs(IST) Sonali Sonali Sonali Singh Bisht

ଗାଁକୁ ସଂଯୋଗ ନାହିଁ : ଦ୍ୱିତୀୟ ଥର ପାଇଁ ନାଗୁପଡ଼ା ବାସୀଙ୍କ ଭୋଟ ବର୍ଜନ ଚେତାବନୀ

By HindusthanSamachar | Publish Date: Mar 16 2019 8:49PM
ଗାଁକୁ ସଂଯୋଗ ନାହିଁ : ଦ୍ୱିତୀୟ ଥର ପାଇଁ ନାଗୁପଡ଼ା ବାସୀଙ୍କ ଭୋଟ ବର୍ଜନ ଚେତାବନୀ
ଜୟପାଟଣା, ୧୬ ମାର୍ଚ୍ଚ (ହି.ସ.)- ଉଦୟଗିରି ପାହାଡ଼ର ଠୁଙ୍ଗିଗଡ଼ର ପାଦ ଦେଶରେ ଅବସ୍ଥିତ ନାଗୁପଡ଼ା ଗାଁ । ଗାଁ କୁ ସିଧା ସଳଖ ସଂଯୋଗ ନଥିବାରୁ ଗାଁ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇ ପଡ଼େ ବର୍ଷା ମାସ ଆସିଲେ । ଚିରସ୍ରୋତା ଛଞ୍ଚାଣଗାଡ଼ ଝରଣା ବର୍ଷକୁ ଛଅ ମାସ ଗାଁ ପାଇଁ ପ୍ରତିବନ୍ଧକ ସାଜି ଥାଏ । ସେହି ଚିରସ୍ରୋତା ଝରଣା ଉପରେ ପୋଲ ନିର୍ମାଣ ପାଇଁ ଲୋକଙ୍କ ସମସ୍ତ ପ୍ରକାର ଉଦ୍ୟମ ସତ୍ୱେ କେବେ ହେଲେ ପୋଲ ନିର୍ମାଣ ଉଦ୍ୟମ ହୋଇ ନପାରିବାରୁ ସମସ୍ତ ଉଦ୍ୟମ ମରିଚିକା ପାଲଟି ଯାଏ । ଗତ ପଞ୍ଚାୟତ ନିର୍ବାଚନରେ ଏହି ଗାଁ ଲୋକେ ଭୋଟ ବର୍ଜନ କରି ସରକାରଙ୍କୁ ନିଜର ପ୍ରତିକ୍ରିୟା ଜଣାଇଦେଇଥିଲେ । ଭୋଟ ବର୍ଜନ ପରେ ଗାଁ ଲୋକଙ୍କୁ ଆଶ୍ୱସନା ଦେବା ପାଇଁ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ବିଧାୟକ ବଳଭଦ୍ର ମାଝୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସି.ଇ.ଓ. ଙ୍କ ଠାରୁ ଜିଲ୍ଳା ପ୍ରଶାସନ ଗାଁ ରେ ପହଞ୍ଚି ଲୋକଙ୍କୁ ଆଶ୍ୱାସନାରେ ପୋତି ଦେଲେ । ଏବେ ୨୦୧୯ ସାଧାରଣ ନିର୍ବାଚନ ମଣ୍ଡ ଉପରେ ପହଞ୍ଚି ସାରିଲାଣି । ଗାଁ ପାଇଁ ପ୍ରତିବନ୍ଧକ ସାଜି ଥିବା ଛଞ୍ଚଣଗାଡ଼ ନାଳ ନିର୍ମାଣ ହୋଇ ପାରିଲା ନାହିଁ । ବରଂ ବ୍ଳକ୍ ଦ୍ୱାରା ଗାଁ ମଧ୍ୟରେ ବିଭାଜନ କରୁଥିବା ଧୋବେନ ଝରନ୍ ଉପରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ଫଳରେ ଗାଁ ପାଇଁ ସଂଯୋଗ ଖୋଜୁଥିବା ମଣିଷ ମାନଙ୍କୁ ସମ୍ପୂର୍ଣ୍ଣ ନିରାଶ ହେବାକୁ ପଡ଼ିଲା । ମୁଖିଗୁଡ଼ା ସ୍ଥିତ ଇନ୍ଦ୍ରାବତୀ ପ୍ରକଳ୍ପ ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ନାଗୁପଡ଼ା ଗାଁ । ଏହି ଗାଁର ପରିଚୟ ଗଙ୍ଗ ବଂଶ ଠାରୁ ଆରମ୍ଭ କରି ନାଗ ବଂଶ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଇନ୍ଦ୍ରାବତୀ ପ୍ରକଳ୍ପ ସାଙ୍ଗରେ ସିଧା ସଳଖ ସମ୍ପର୍କ ରଖି ଆସିଥିବା ନାଗୁପଡ଼ା ଲୋକେ ବିଶ୍ୱାସ ରଖିଥିଲେ ଯେ, ଏକ ବିଶାଳ ପ୍ରକଳ୍ପର ପାରିପାର୍ଶିକ ଅନୁଦାନ ପାଣ୍ଠିରୁ ନାଗୁପଡ଼ାର ନିଶ୍ଚିତ ବିକାଶ ହେବ, କିନ୍ତୁ ତାହା ମଧ୍ୟ ପାଣିର ଗାର ପାଲଟିଗଲା । ଇନ୍ଦ୍ରାବତୀ ହେତୁ ଭିଟାମାଟି ହରାଇ ଥିବା ବୁଡ଼ି ଅଞ୍ଚଳର ଲୋକେ ମଧ୍ୟ ଏଠାରେ ବସବାସ କରିବା ସତ୍ୱେ ସରକାରଙ୍କ ଚେତା ପଶିଲାନି, ବିକାଶ ଉଭେଇ ଗଲା । ଗତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ପରେ ନେତା ଓ ଅଧିକାରୀଙ୍କ ଯାବତୀୟ ଆଶ୍ୱାସନା ଶୀତଳ ଭଣ୍ଡାରକୁ ଚାଲିଗଲା । ଏବେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଗାଁ ଭୋଟର ପୁଣି ଭୋଟ୍ ବର୍ଜନ ନିଷ୍ପତି ନେବା ପ୍ରଶାସନ ପାଇଁ ଚିନ୍ତାର ବିଷୟ ନିଶ୍ଚିତ । ରାଜନୈତିକ ଓ ପ୍ରଶାସନିକ ଉଦାସୀନତାର ଶିକାର ହେଉଥିବା ଜୟପାଟଣା ବ୍ଳକ୍ ର ନାଗୁପଡ଼ା ବାସୀଙ୍କ ଆଗାମୀ ନିର୍ବାଚନରେ ଭୋଟ ବର୍ଜନର ଚରମ ଚେତାବନୀ ରାଜ୍ୟ ସରକାରଙ୍କୁ କେତେ ଦୂର ପ୍ରଭାବିତ କରୁଛି ତାହା ଦେଖିବାର ବେଳ ଆସିଛି । ହିନ୍ଦୁସ୍ଥାନ ସମାଚାର/ଶେଷଦେବ/ପ୍ରଦୀପ୍ତ
लोकप्रिय खबरें
फोटो और वीडियो गैलरी
image