Hindusthan Samachar
Banner 2 रविवार, दिसम्बर 16, 2018 | समय 07:29 Hrs(IST) Sonali Sonali Sonali Singh Bisht

ଜମି ଅଧିଗ୍ରହଣ ପୂର୍ବରୁ ଯୋଜନା ବଦଳିଲା

By HindusthanSamachar | Publish Date: Dec 8 2018 8:23PM
ଜମି ଅଧିଗ୍ରହଣ ପୂର୍ବରୁ ଯୋଜନା ବଦଳିଲା
ଭଦ୍ରକ, ୮ ଡିସେମ୍ବର (ହି.ସ.) - ଉପକୂଳ ରାଜପଥ ନିର୍ମାଣରେ ସଂକଟ । ଜମି ଅଧିଗ୍ରହଣ ପୂର୍ବରୁ ବଦଳିଲା ଯୋଜନା । ଉପକୂଳରେ ଜବରଦଖଲ ସଂକଟ ଯୋଗୁଁ ଜମି ଅଧିଗ୍ରହଣ ପୂର୍ବରୁ ବଦଳିଲା ଯୋଜନା । ଯୋଜନା ପରିବର୍ତନ ଯୋଗୁଁ ଭଦ୍ରକ ଜିଲାରେ ଭାରତମାଳା ପରିଯୋଜନାରେ ପ୍ରସ୍ତାବିତ ଉପକୂଳ ରାଜପଥ ନିର୍ମାଣରେ ଦେଖାଦେଇଛି ସଂକଟ । ଗତ ପ୍ରାୟ ଏକବର୍ଷ ତଳେ କେନ୍ଦ୍ର ସରକାରଙ୍କ ସଡକ, ପରିବହନ ଏବଂ ଜାତୀୟ ରାଜପଥ ଯୋଜନାରେ କାର୍ଯ୍ୟକାରୀ ହୋଇଥିଲା ଭାରତମାଳା ପରିଯୋଜନା । ଦେଶର ବିସ୍ତୃତ ଉପକୂଳରେ ରାଜପଥ ନିର୍ମାଣ ପାଇଁ ଗୃହୀତ ହୋଇଥିଲା ଏହି ଯୋଜନା । ଉପକୂଳର ସୁରକ୍ଷା, ଗମନାଗମନ, ପରିବହନ, ପର୍ଯ୍ୟଟନ ଏବଂ ଉପକୂଳର ବିକାଶ ନେଇ ଆରମ୍ଭ ହୋଇଥିଲା ଏହି ଯୋଜନା । ସମଗ୍ର ଦେଶରେ ୮୩ ହଜାର ୬୭୭ କିମି ଉପକୂଳ ରାଜପଥ ନିର୍ମାଣ ସକାଶେ ଆରମ୍ଭ ହୋଇଥିଲା ଭାରତମାଳା ରାଜପଥ ନିର୍ମାଣ ପରିଯୋଜନା । ତଦନୁଯାୟୀ ଓଡ଼ିଶାରେ ଗୋପାଳପୁର ଠାରୁ ପଶ୍ଚିମବଙ୍ଗର ଦିଘା ଉପକୂଳ ପର୍ଯ୍ୟନ୍ତ ପ୍ରାୟ ୪୫୧ କିମି ଉପକୂଳ ରାଜପଥ ନିର୍ମାଣ ପାଇଁ ପରିକଳ୍ପନା କରାଯାଇଥିଲା । ଏଥିରେ ଭଦ୍ରକଜିଲାରେ ଚାନ୍ଦବାଲିର କନ୍ଦା ଠାରୁ ଭଦ୍ରକ ଜିଲାର ସୀମାନ୍ତ କୁହାଯାଉଥିବା ବାସୁଦେବପୁର ବ୍ଲକ୍ର ରାଧା ମୋହନପୁର ପର୍ଯ୍ୟନ୍ତ ପ୍ରାୟ ୫୩ କିମି ଉପକୂଳରେ ଉପକୂଳ ରାଜପଥ ନିର୍ମାଣ ସକାଶେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋିଥିଲା । ୬୦ ମିଟର ଚଉଡା ବିଶିଷ୍ଟ ଏହି ରାଜପଥ ନିର୍ମାଣ ସକାଶେ ଚାନ୍ଦବାଲି ବ୍ଲକ୍ର ୧୬ ଗୋଟି ଏବଂ ବାସୁଦେବପୁର ବ୍ଲକ୍ର ୧୦ ଗୋଟି ଏହିପରି ମୋଟ ୨୬ ଗୋଟି ରାଜସ୍ୱ ଗ୍ରାମର ୧୪୪ ହେକ୍ଟର ଜମି ଅଧିଗ୍ରହଣ ସକାଶେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଜମି ଅଧିଗ୍ରହଣ ସକାଶେ ପ୍ରସ୍ତୁତି ଚୂଡାନ୍ତ ହେବା ପରେ ଗତ ୧୧.୦୬.୨୦୧୮ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩(କ)ରେ ଜମି ଅଧିଗ୍ରହଣ ବିଜ୍ଞପ୍ତି ଜାରି କରାଯାଇଥିଲା । ତେବେ ଜମି ଅଧିଗ୍ରହଣ ଆରମ୍ଭ ନହେଉଣୁ ପ୍ରସ୍ତାବିତ ଯୋଜନକାୁ ବାତିଲ କରାଯାଇ ପରିବର୍ତିତ ଯୋଜନା କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା । ଯୋଜନା ବାତିଲ ହେବା ଏବଂ ଏହାର ପରିବର୍ତନ ନେଇ କର୍ତୃପକ୍ଷ କୌଣସି ମତାମତ ରଖିନଥିଲେ ମଧ୍ୟ ଜମି ଅଧିଗ୍ରହଣ କ୍ଷେତ୍ରରେ ଉପକୂଳରେ ଜବର ଦଖଲ ସମସ୍ୟାକୁ ମୁକାବିଲା କରିନପାରି କର୍ତୃପକ୍ଷ ବାଧ୍ୟ ହୋଇ ପୂର୍ବ ଅଧିଗ୍ରହଣ ବିଜ୍ଞପ୍ତିକୁ ବାତିଲ କରିଥିବା କୁହାଯାଉଛି । ପରିବର୍ତିତ ଯୋଜନାରେ ପ୍ରସ୍ତାବିତ ରାଜପଥର ଚଉଡା ୬୦ ମିଟର ପରିବର୍ତେ ୪୫ ମିଟରକୁ ହ୍ରାସ କରାଯାଇଥିବାବେଳେ ଜମି ଅଧିଗ୍ରହଣ ପରିମାଣ ୧୪୪ ହେକ୍ଟରକୁ ୧୪୦ ହେକ୍ଟରକୁ ହ୍ରାସ କରିଛନ୍ତି । ଏଥିରେ ଚାନ୍ଦବାଲି ବ୍ଲକ୍ର ୧୬ ଗୋଟି ରାଜସ୍ୱ ଗ୍ରାମ ବଦଳରେ ୨୧ ଗୋଟି ଏବଂ ବାସୁଦେବପୁର ବ୍ଲକ୍ର ୧୦ ଗୋଟି ଏହିପରି ମୋଟ ୩୧ ଗୋଟି ରାଜସ୍ୱ ଗ୍ରାମକୁ ସାମିଲ କରାଯାଇଛି । ସରକାରଙ୍କ ପରିବର୍ତିତ ଯୋଜନାରେ କାଗଜପତ୍ର ପ୍ରସ୍ତୁତି ଚୂଡାନ୍ତ ହେବା ପରେ ଏଥିନେଇ ବିଜ୍ଞପ୍ତି ଜାରି କରାଯିବ ବୋଲି କର୍ତୃପକ୍ଷ କହିଛନ୍ତି । ତେବେ ଉପକୂଳ ରାଜପଥର ମୂଳ ଯୋଜନା ପରିବର୍ତ୍ତନ ହେବା ଯୋର୍ଗୁ ସରକାରଙ୍କୁ ଏଥିନେଇ ଅନ୍ୟୁନ ପକ୍ଷେ ୩୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ବହନ କରିବାକୁ ପଡିବା ସହିତ ଯୋଜନା ବିଳମ୍ବିତ ହେବା ନିଶ୍ଚିତ ହୋଇଛି । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି .......................................
image