Hindusthan Samachar
Banner 2 सोमवार, नवम्बर 19, 2018 | समय 00:16 Hrs(IST) Sonali Sonali Sonali Singh Bisht

ବୌଦ୍ଧ ଜିଲା ମହୋତ୍ସବ ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

By HindusthanSamachar | Publish Date: Nov 10 2018 7:12PM
ବୌଦ୍ଧ ଜିଲା ମହୋତ୍ସବ ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ, ୧୦ ନଭେମ୍ବର(ହି.ସ.) - ବୌଦ୍ଧ ଜିଲାକୁ ଆସନ୍ତା ଜାନୁୟାରୀ ୨ ତାରିଖରେ ୨୫ବର୍ଷ ପୁର୍ତି ହେବାକୁ ଯାଉଥିବାବେଳେ ଏହି ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀମେଳାକୁ ଶୃଙ୍ଖଳିତ ଓ ଆକର୍ଷଣୀୟ ଭାବରେ ପାଳନ କରିବା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଶନିବାର ଦିନ ଟାଉନହଲ ଠାରେ ଜିଲାପାଳ ସିତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଭାରପ୍ରାପ୍ତ ଜିଲା ସଂସ୍କୃତି ଅଧିକାରୀ ଶିଶିର କୁମାର ସାହୁ ଗତ ବୌଦ୍ଧ ମହୋତ୍ସବର ଆୟ ବ୍ୟୟ ବିବରଣୀ ପ୍ରଦାନ କରିଥିଲେ । ତେବେ ଆଗାମୀ ଜାନୁୟାରୀ ୨ ତାରିଖରେ ଜିଲା ଗଠନର ୨୫ ତମ ସ୍ୱନକ୍ଷତ୍ର ଉତ୍ସବ ଓ ରୌପ୍ୟ ଜୟନ୍ତୀ ଅବସରରେ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀମେଳାକୁ ପ୍ରଥମେ ବ୍ଲକସ୍ତରରେ ଓ ପରେ ଜିଲାସ୍ତରରେ ମହା ଆଡମ୍ବରରେ ଆୟୋଜନ କରାଯିବାକୁ ଜିଲାପାଳ ଶ୍ରୀରାଉତ ଉପସ୍ଥିତ ବୁଦ୍ଧିଜିବୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତାଙ୍କ ନିକଟରୁ ବିଭିନ୍ନ ପ୍ରସ୍ତାବ ଆହ୍ୱାନ କରିଥିଲେ । ମହୋତ୍ସବକୁ ବ୍ଲକସ୍ତରରୁ ଆୟୋଜନ ପ୍ରସ୍ତାବକୁ ସମସ୍ତେ ସମର୍ଥନ ଜଣାଇବା ସହିତ ଲୋକମହୋତ୍ସବ ଓ ପଲ୍ଲିଶ୍ରୀମେଳା ରେ ବିଭିନ୍ନ ସ୍ତରର ଲୋକଙ୍କୁ ସାମିଲ କରିବା ସହିତ ଦାୟିତ୍ୱ ସଂପାଦନ ପାଇଁ ବିଭିନ୍ନ କମିଟିମାନ ଗଠନ କରାଯାଇଥିଲା । ମହୋତ୍ସବ ଅବସରରେ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଜିଲାର ବିଭିନ୍ନ ସମସ୍ୟା,ବିକାଶ,ସଂସ୍କୃତି ଓ ପରମ୍ପରା ଉପରେ ଚାରିଦିନିଆଁ ଆଲୋଚନାଚକ୍ର ଅନୁଷ୍ଠିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ପର୍ଯ୍ୟାୟକ୍ରମେ କମିଟି ଗୁଡିକର ବୈଠକ ଡକାଯାଇ ନୂତନ ପ୍ରସ୍ତାବ ଗ୍ରହଣ ସହିତ ଶୃଙ୍ଖଳିତ ଭାବରେ କିପରି ଏହି ଉତ୍ସବ ପାଳନ କରାଯାଇପାରିବ ଜିଲାପାଳ ପରାମର୍ଶ ଦେଇଥିଲେ । ମହେତ୍ସବ ଅବସରରେ ପ୍ରକାଶିତ ସ୍ମରଣୀକାକୁ ସାହିତ୍ୟ ଧର୍ମୀ କରାନଯାଇ ବିଭିନ୍ନ ସରକାରୀ ବିଭାଗର ତଥ୍ୟଭିତିକ ଲେଖା ଓ ଜିଲାର କଳା ସଂସ୍କୃତି ଓ ପରମ୍ପରା ସଂପର୍କିକ ଲେଖା ପ୍ରକାଶ କରାଯିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ପ୍ରଦର୍ଶନୀ ମେଳାରେ ବିଭିନ୍ନ ବିଭାଗର ବିକାଶର ଝଲକ ପ୍ରଦର୍ଶନ ସହିତ ଯୁବକ,ମହିଳା ସଶକ୍ତିକରଣ,ଶିକ୍ଷା ଅଧିକାର,ଚାଷର ବିକାଶ ସଂପର୍କିତ କର୍ମଶାଳା ଆୟୋଜନ ପାଇଁ ମତପ୍ରକାଶ ପାଇଥିଲା । ସେହିପରି ମହୋତ୍ସବ ସମୟରେ ବିଭିନ୍ନ କମିଟି ଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବା, ମହୋତ୍ସବର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରୋତ୍ସାହନ ସହିତ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ମହୋତ୍ସବ ଅବସରରେ ଜନଗହଳିକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା,ସ୍ୱାସ୍ଥ୍ୟସେବା,ପାନୀୟଜଳ,ସ୍ୱଛତା ର ବ୍ୟବସ୍ଥା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ, ଉପଜିଲାପାଳ ଏନସି ଜ୍ୟୋତିରଂଜନ ନାୟକ. ଓରମାସର ସହକାରୀ ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ଭୁୟାଁ ପ୍ରମୁଖ ଉପସ୍ଥିତଥିଲେ । ଶେଷରେ ଉପଜିଲାପାଳ ଶ୍ରୀ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ସମ୍ପତ/ବୀଣାପାଣି .......................................
image