Hindusthan Samachar
Banner 2 बुधवार, दिसम्बर 12, 2018 | समय 15:03 Hrs(IST) Sonali Sonali Sonali Singh Bisht

ତିତିଲି ଆଶଙ୍କାରେ ପଟ୍ଟାମୁଣ୍ଡାଇର ଗଣପର୍ବ ଶାରଦୀୟ ଦୂର୍ଗାପୂଜା ଉତ୍ସବ ଫିକା

By HindusthanSamachar | Publish Date: Oct 13 2018 8:56PM
ତିତିଲି ଆଶଙ୍କାରେ ପଟ୍ଟାମୁଣ୍ଡାଇର ଗଣପର୍ବ ଶାରଦୀୟ ଦୂର୍ଗାପୂଜା ଉତ୍ସବ ଫିକା
ସହରରେ ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥାକୁ ତ୍ୱରାନିତ କରାଯିବାକୁ ଦାବି ସହରକୁ ଆବର୍ଜ୍ଜନାମୁକ୍ତ କରାଯିବାକୁ ପଦକ୍ଷେପ ନେବାକୁ ଦାବି ସିଂହଗାଁ ପଂଚାୟତକୁ ରିଲିଫ ଯୋଗାଣ ଦାବି ପଟ୍ଟାମୁଣ୍ଡାଇ,୧୩ ଅକ୍ଟୋବର(ହି.ସ.)- ତିତିଲି ଭୟ ଟଳିଥିଲେ ମଧ୍ୟ ଲୋକମାନଙ୍କ ମନରୁ ଏବେ ମଧ୍ୟ ଆଶଙ୍କା ଦୂର ହୋଇନାହିଁ । ଆଜି ଦିନବେଳା ପାଗରେ ସାମନ୍ୟ ପରିବର୍ତନ ହୋଇଥିଲେହେଁ ସନ୍ଧ୍ୟାବେଳକୁ ଝିପି ଝିପି ବର୍ଷା ଲାଗି ରହିଛି । ପଟ୍ଟାମୁଣ୍ଡାଇର ଗଣପର୍ବ ଶାରଦୀୟ ଦୂର୍ଗାପୂଜା ଉତ୍ସବ ଏକ ପ୍ରକାର ଫିକା ହୋଇଯାଇଛି । ବହୁ ପୁରାକାଳରୁ ଅନୁଷ୍ଠିତ ହୋଇଆସୁଥିବା ପଟ୍ଟାମୁଣ୍ଡାଇ ଶାରଦୀୟ ଦୂର୍ଗାପୂଜା ଉତ୍ସବ କେନ୍ଦ୍ରାପଡା ଜିଲ୍ଲାର ଏକ ଅନନ୍ୟ ଭାଇଚାରାର ଗଣପର୍ବ ଭାବେ ପ୍ରତୀୟମାନ ହୋଇଆସୁଛି । ତେବେ ତିତିଲି ଆଶଙ୍କାରେ ପୂଜା ମଣ୍ଡପ ଗୁଡିକ ସାଜସଜା ଓ ପ୍ରସ୍ତୁତିରେ ଭଟ୍ଟା ପଡିଯାଇଛି । ଅନ୍ୟପକ୍ଷରେ ତିତିଲି ପାଇଁ ଗତ ୨ଦିନ ଧରି ହୋଇଥିବା ଲଗାଣବର୍ଷାରେ ପଟ୍ଟାମୁଣ୍ଡାଇ ସହରର ଖାଲୁଆ ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇପଡିଥିବାବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବାଳିକା ହାଇସ୍କୁଲ ପରିସର, ଯଜ୍ଞପଡିଆ, ବ୍ଲକ କାର୍ଯ୍ୟାଳୟ ପରିସର, ପ୍ରାଣୀ ଚିକିତ୍ସାଳୟ ପରିସର, ସବଟ୍ରେଜେରୀ କାର୍ଯ୍ୟାଳୟ ପରିସର, ସବରେଜିଷ୍ଟ୍ରାର ଅଫିସ ପରିସର, ପଟ୍ଟାମୁଣ୍ଡାଇ ବଙ୍ଗାଳିସାହି, ମୁସଲମାନ ବସ୍ତି ଓ ବସ୍ତି ସଂଲଗ୍ନ ଦଳିତସାହି, ପ୍ୟାରେଡ ପଡିଆ, ବିଇଓଙ୍କ କାର୍ଯ୍ୟାଳୟ ପରିସର ଆଦି ଅଂଚଳ ଜଳାର୍ଣ୍ଣବ ହୋଇଯାଇଥିଲା । ଏହି ସବୁ ଅଂଚଳରୁ ଧିରେ ଧିରେ ଜଳ ନିଷ୍କାସନ ହେବାର ଲାଗିଥିଲେହେଁ ସେହି ସବୁ ଅଞ୍ଚଳରେ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଶାରଦୀୟ ଦୂର୍ଗାପୂଜା ଉତ୍ସବ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ସହରକୁ ଆବର୍ଜ୍ଜନାମୁକ୍ତ କରାଯିବାର ଆବଶ୍ୟକତା ରହିଛି । ପୂଜା ଉତ୍ସବରେ ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, ଆଳି, କେନ୍ଦ୍ରାପଡା ଓ ମହାକାଳପଡା ଅଂଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ସାମିଲ ହୋଇ ଉତ୍ସବର ଆନନ୍ଦ ନେଇଥାନ୍ତି । ତେଣୁ ସହରକୁ ସଫାସୁତୁରା କରାଯିବା ସହିତ ବିଭିନ୍ନ ଖାଲୁଆ ସ୍ଥାନମାନଙ୍କରେ ବର୍ଷାପାଣି ଜମି ରହି ପରିବେଶ ଦୂଷିତ ହୋଇଥିବାରୁ ଏହାକୁ ଆବର୍ଜ୍ଜନାମୁକ୍ତ ସହିତ ବ୍ଲିଚିଂ ପକାଯିବା ପାଇଁ ଶାନ୍ତି କମିଟି ପକ୍ଷରୁ ପୌର ପରିଷଦ କର୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । ପୂଜା ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ପଟ୍ଟାମୁଣ୍ଡାଇ ସହରରେ ଉଜ୍ଜଳ ଆଲୋକୀକରଣ ବ୍ୟବସ୍ଥା ପାଇଁ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ଧିମା ଗତିରେ କାର୍ଯ୍ୟ କରୁଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି । ସହରର ଷଣ୍ଢପଲ୍ଲୀ ଠାରୁ ଅଳଭା, ଦମକଳ ଅଫିସ ଠାରୁ ମାଟିଆ, ଡାକବଙ୍ଗଳା ଛକ ଠାରୁ ପଟ୍ଟାମୁଣ୍ଡାଇ କେନାଲ ପୋଲ, ପଟ୍ଟାମୁଣ୍ଡାଇ କେନାଲ ପୋଲ ଠାରୁ ପତ୍ରପୁର ବ୍ରାହ୍ମଣୀ ପୋଲ, ମୁସଲମାନନସ୍ତି, ବେଲତଳ, ଦକ୍ଷିଣଦିଆ, ତାତନା, ପୋଖରୀଆପଡା, ସାହୁସାହି, ବଙ୍ଗାଳିସାହି, ପଟ୍ଟାମୁଣ୍ଡାଇ ଦଳିତସାହି, କଷଣଅଂଟା, ତଳବାଲିପଡା, ବାଲିପଡା, ତନୁପୁର, ବଳଦେବନଗର, ଅଳଭା, ନୂଆଗାଁ, କାକୁଡିପଲ୍ଲୀ ଆଦି ଅଞ୍ଚଳରେ ଆଲୋକିକରଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ସାଧାରଣରେ ଦାବି ହେଉଛି । ସେହିପରି ତିତିଲି ପାଇଁ ଲଗାଣବର୍ଷା କାରଣରୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳର ବିଭିନ୍ନ ଖାଲୁଆ ଅଂଚଳ ଜଳାର୍ଣ୍ଣବ ହୋଇପଡିଛି । ପୁନଃର୍ବାର ଝିପିଝିପି ବର୍ଷା କାରଣରୁ ପରିସ୍ଥିତିକୁ ଅଧିକ ସଂଗୀନ କରିଛି । ଚାଷଜମି ଗୁଡିକରେ ଏବେ ମଧ୍ୟ ପାଣିର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ଉତିକଣ ଅଂଚଳରେ ଲଗାଣବର୍ଷା ହେତୁ ସଂପୂର୍ଣ୍ଣ ଫସଲ ଧୋଇ ହୋବର ଆଶଙ୍କା ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଂଚଳରେ ଥିବା ଚୀରଅବହେଳିତ ସିଂହଗାଁ ପଂଚାୟତ ଏବେ ମଧ୍ୟ ପାଣିଘେରରେ ରହିଛି । ଏହି ପଂଚାୟତର ପୀଡିତମାନଙ୍କୁ ତୁରନ୍ତ ରିଲିଫ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି । ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ଭାନୁ
image